ବନ୍ଦ କରନ୍ତୁ

ପସନ୍ଦ ସ୍ଥାନ

ଝାରସୁଗୁଡା :

ଝାରସୁଗୁଡା ଜିଲ୍ଲାର ସଦର ମହକୁମା ଝାରସୁଗୁଡା ସହର ଅଟେ । ଏହା ରାଉରକେଲା – ସମ୍ବଲପୁର ମୁଖ୍ୟ ରାସ୍ତାରେ ଅବସ୍ଥିତ । ଏଠାରେ ପର୍ଯ୍ୟଟକଙ୍କ ରହିବା ଯାତାୟାତ ଏବଂ ଅନ୍ଯାନ୍ଯ ଆନୁସଙ୍ଗିକ ସୁବିଧା ରହିଛି । ଏହି ଝାରସୁଗୁଡା ଜିଲ୍ଲା ପୁରାତନ ଏବଂ ଆଧୁନିକ ସଭ୍ୟତାର ଅଦ୍ଭୁତ ମିଳନ ସ୍ଥଳୀ ଅଟେ । ଏହି ଜିଲ୍ଲାରେ 1500 ଖ୍ରୀ.ପୂ. ସଭ୍ୟତାର ଅଂଶାବଶେଷ ଦେଖିବାକୁ ମିଳେ । ଖଣିଜ ସମ୍ପଦର ପ୍ରାଚୁର୍ଯ୍ଯରେ ଭରା ଏହି ଜିଲ୍ଲାରେ ଅନେକ ବୃହତ୍ କଳକାରଖାନା ଯଥା- ଭୂଷଣ ଇସ୍ପାତ କାରଖାନା , ବେଦାନ୍ତ ଆଲୁମିନା , ଟାଟା ରିଫ୍ରାକୋରିଜ. ଲିଃ. , ମହାନଦୀ କୋଲ୍ଫିଲ୍ଡ୍ସ ଲିଃ. , ଈବ ଉପତ୍ୟକା ବନହରପାଳି ତାପଜ ବିଦ୍ୟୁତ କେନ୍ଦ୍ର , ଆଦି ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ଅଟେ । ଏହି କାରଣରୁ ଝାରସୁଗୁଡା ଏକ ପ୍ରମୁଖ ବ୍ଯବସାୟିକ କେନ୍ଦ୍ର ରୂପେ ବିଖ୍ୟାତ । ଏହାଛଡା ଦକ୍ଷିଣ ପୂର୍ବ ରେଳପଥର ଝାରସୁଗୁଡା ଏକ ପ୍ରମୁଖ ରେଳଷ୍ଟେସନ ଅଟେ । ଏଠାରେ ପର୍ଯ୍ୟଟକଙ୍କ ସମସ୍ତ ଆବଶ୍ୟକତା ସୁବିଧାରେ ପୂରଣ ହୋଇଥାଏ ।

କୋଇଲି ଘୁଘର ଜଳପ୍ରପାତ :

କୋଇଲି ଘୁଘର ଜଳ ପ୍ରପାତ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ୍ ଅନ୍ତର୍ଗତ କୁସୁମବାହାଲ ଗ୍ରାମ ନିକଟରେ ଅବସ୍ଥିତ । ଏହା ଝାରସୁଗୁଡାର ସହରରୁ ୫୭ କି.ମି. ଦୂରରେ ଅବସ୍ଥିତ ।ଏହା ସବୁଜ ବନାନୀ ଭରା ଏକ ମନଲୋଭା ଦର୍ଶନୀୟ ସ୍ଥାନ । ଅହିରାଜ ନାମକ ଏକ କ୍ଷୁଦ୍ର ଜଳଧାର ଛଇ କାଞ୍ଚ ପାହାଡ଼ି ଅରଣ୍ୟରୁ ବାହାରିଛି ଏବଂ ଏହା ପଥୁରିଆ ପଥରେ ଗତିଶୀଳ ଅବସ୍ଥାରେ ୨୦୦ ଫୁଟ ତଳେ ପଡ଼ି କୋଇଲି ଘୁଘର ନାମକ ଜଳପ୍ରପାତ ସୃଷ୍ଟି କରିଛି ।  ଏହି ଜଳପ୍ରପାତ ର ପାଣି ପଶ୍ଚିମ ମୁହାଁ ହୋଇ ମହାନଦୀରେ ମିଶିଛି, ଯ଼ାହା ଦେଖିବାକୁ ଅତ୍ୟନ୍ତ ମନୋରମ ଏବଂ ଆକର୍ଷଣୀୟ । କୋଇଲି ଘୁଘର ଜଳପ୍ରପାତରେ ମହେଶ୍ୱରନାଥ ନାମରେ ଏକ ଶିବାଳୟ ମଧ୍ୟଅଛି ଯାହାର ଶିବଲିଙ୍ଗ ଜଳମଗ୍ନ ଅବସ୍ଥାରେ ଥିବା ଯୋଗୁଁ କାହାରିକୁ ଦୃଶ୍ୟମାନ ହୋଇନଥାଏ । କିନ୍ତୁ କେବଳ ଶୀତ ଓ ଗ୍ରୀଷ୍ମ ରୁତୁରେସୂର୍ଯ୍ୟ କିରଣର ପ୍ରତିବିମ୍ବଦ୍ୱାରା ଜଳମଗ୍ନ ଶିବଲିଙ୍ଗ ଦୃଶ୍ୟମାନ ହୋଇଥାଏ । ଏଥିପାଇଁ ପର୍ଯ଼୍ୟଟକଙ୍କ ଦର୍ଶନାର୍ଥେ ଜଳପ୍ରପାତ ପାର୍ଶ୍ୱରେ ଆଉ ଏକ ଶିବଲିଙ୍ଗ ପ୍ରତିଷ୍ଠା କରାଯ଼ାଇଛି । ଏଠାରେ ପ୍ରତିବର୍ଷ ଶିବରାତ୍ରି ଦିନ ଏକ ପର୍ବ ପାଳିତ ହୁଏ ଯେଉଁଠାରେକି ପ୍ରବଳ ଜନସମାଗମ ଦେଥିବାକୁ ମିଳେ ।

ଝାଡ଼େଶ୍ୱର ମନ୍ଦିର :

ଝାଡ଼େଶ୍ୱର ମନ୍ଦିରଟି ଝାରସୁଗୁଡ଼ା ରେଳଷ୍ଟେସନରୁ ୧ କି.ମି. ଦୂରରେ ଅବସ୍ଥିତ ପୁରୁଣା ବସ୍ତି ନିକଟରେ ଥିବା ଏକ ଛୋଟ ଜଙ୍ଗଲ ମଧ୍ୟରେ ଅଛି ।ଏଠାରେ ଏକ ସ୍ୱୟଂ ଆବିର୍ଭୂତ ଶିବଲିଙ୍ଗ ପୂଜା ପାଉଛନ୍ତି ଯାହାର ପ୍ରକୃତରେ ଆବିର୍ଭାବ କେବେ ହୋଇଥିଲା ଆଜିପର୍ଯ୍ୟନ୍ତ ଏକ ରହସ୍ୟ । କିନ୍ତୁ ଗୋବିନ୍ଦ ସିଂ ଜମିଦାରଙ୍କ ଜମିଦାରୀ କାଳରେ ଏହା ଏକ ପତ୍ର ନିର୍ମିତ କୁଡ଼ିଆରେ ପୂଜା ପାଉଥିଲେ । ୧୯୧୬ ମସିହାରେ ମୁଲଜୁ ଜଗମଲ ନାମକ ଜଣେ ଗୁଜୁରାତି କଣ୍ଟ୍ରାକ୍ଟର ଏକ ଛୋଟ ମନ୍ଦିର ତୋଳାଇଥିଲେ । ଝାରସୁଗୁଡ଼ାର ଜମିଦାର ଏହି ମନ୍ଦିରର ପୂଜା ପାଇଁ ସୋବାୟତ ନିଯୁକ୍ତି କରି ରକ୍ଷଣାବେକ୍ଷଣ ପାଇଁ ନିଜର ଚାଷପଯ଼ୋଗୀ ଜମି ମଧ୍ୟ ଦାନ କରିଥିଲେ ।

ପାହାଡି ମନ୍ଦିର :

ପାହାଡି ମନ୍ଦିର ଟି ଝାରସୁଗୁଡା ରେଲୱେ ଷ୍ଟେସନ ରୁ ୩ କି.ମି. ଏବଂ ବସ ଷ୍ଟେସନ ରୁ ୩.୫ କି.ମି. ଦୂରରେ ଗୋଟିଏ ପାହାଡ ଉପରେ ଅବସ୍ଥିତ । ଏହି ମନ୍ଦିରରେ  ଭଗବାନ ଶିବ ପୂଜା ପାଆନ୍ତି ।ଏହି ପାହାଡ ଉପରୁ ଝାରସୁଗୁଡା ସହରଟି ବହୁତ ସୁନ୍ଦର ଦେଖାଯାଏ ।

ବିକ୍ରମଖୋଲ :

ଝାରସୁଗୁଡ଼ା ଲଖନପୁର ରାସ୍ତାର ୨୫ କି.ମି. ଦୂରରେ ବଞ୍ଜାରୀ ନାମକ ଏକ ଗ୍ରାମ ଅଛି । ଏହିଗ୍ରାମ ପାଖରେ ରହିଛି ଏକ ପ୍ରାଚ଼ୀନ ଯୁଗର ଗୁମ୍ଫା, ଯାହା ବିକ୍ରମଖୋଲ ନାମରେ ନାମିତ । ଏହି ଦୁର୍ଗମ ଘଞ୍ଚ ଅରଣ୍ୟରେ ଆଦିମ ଲୋକମାନେ ଜଙ୍ଗଲି ଫଳ, ମୂଳ ଏବଂ ପଶୁପକ୍ଷୀଙ୍କ ମାଂସ ଉପରେ ନିର୍ଭର କରି ନିଜ ଜୀବନ ବ୍ୟତୀତ କରୁଥିଲେ । ଖ୍ରୀ.ପୂ. ୪୦୦୦ ରେ ଏହି ଅଞ୍ଚଳର ମାନବ ସଭ୍ୟତାର ବିକାଶର ମୂଳକ୍ରିୟ ହୋଇଥିଲା ଯାହା ଏକ ହସ୍ତଲିପି ସୃଷ୍ଟି କରିଛି । ବିକ୍ରମଖୋଲ ଗୁମ୍ଫା ରେ ଗୁଡିଏ ପ୍ରାଚୀନ ହସ୍ତଲିପି ଏବଂ ପଶୁପକ୍ଷୀଙ୍କ ଚ଼ିତ୍ରପଟ୍ଟ ଖୋଦିତ ହୋଇଛି । ଏହାର କାନ୍ଥରେ କେତେଗୁଡ଼ିଏ ବୃତ୍ତାକାର ଗର୍ତ୍ତ ଦେଖିବାକୁ ମିଳେ ଯାହା ସେହୀ ପ୍ରାଚ଼ୀନ ଅଧିବାସୀଙ୍କ ଅସ୍ତ୍ରଶସ୍ତ୍ର ଏବଂ ପୋଷାକ ରଖିବା ପାଇଁ ବ୍ୟବହୃତ ହୋଇଥିଲା । ଏପରିକି ଚଟ୍ଟାଣରେ ମଧ୍ୟ ଶସ୍ୟ ରଖିବା ପାଇଁ ବୃତ୍ତାକାର ଗାତ ଖୋଳାଯାଇଥିଲା । ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ, ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଏହାଏକ ପର୍ଯ଼୍ୟଟନ ସ୍ଥଳୀ ରୂପେ ମାନ୍ୟତା ପାଇଛି ଯ଼ାହା ବିଦେଶରେ ମଧ୍ୟ ପ୍ରସିଦ୍ଧ ଅଟେ । ଏଠାରେ ଖ୍ରୀ.ପୂ. ୧୫୦୦ ସମଯର କେତେକ ସଚ଼ିତ୍ର ହସ୍ତଲିପି ଦୃଶ୍ୟମାନ ହୋଇଥାଏ ଯାହାର ପ୍ରତିରୂପ ଓଡ଼ିଶା ସରକାରଙ୍କ ଭୂବନେଶ୍ୱର ସଂଗ୍ରାହଳୟରେ ଦେଖିବାକୁ ମିଳେ ।
ବିକ୍ରମଖୋଲରେ ପ୍ରାକଐତିହାସିକ ଯୁଗର ଅବଷେଶାଂଶ ଦେଖିବାକୁ ମିଳେ। ଏଠାରେ ପ୍ରାକୃତିକ ପ୍ରସ୍ତର ଶିଳାରେ ୩୪.୮ ମିଟର ଲମ୍ବ ଏବଂ ୮.୩ ମିଟର ଉଚ୍ଚତାର ଚିତ୍ରଲେଖର ଅଂଶାବଶେଷ ରହିଛି । ତନ୍ମଧ୍ୟରୁ ୧୦.୮ ମିଟର ଅଂଶରେ କୌଣସି ଲିପିର କିଛି ଅକ୍ଷର ଖୋଦିତ ହୋଇଛି ଏବଂ ଆଉ କିଛି ରଙ୍ଗ ତୁଳୀରେ ଚିତ୍ରିତ ହୋଇଛି । ଡାଃ. ଏ. ପି. ଜୟସ୍ଵାଲଙ୍କ ଅନୁସାରେ ଏହି ଲିପି ହିଁ ବ୍ରାହ୍ମୀଲିପିର ମୁଳଉସ୍ଵ ଅଟେ ଏବଂ ବ୍ରାହ୍ମୀଲିପି ୧୫୦୦ ଖ୍ରୀ.ପୂ.ରେ ସଂପୂର୍ଣ୍ଣ ହୋଇଥିଲା । ଏଥିରୁ ଅନୁମାନ କରାଯାଇପାରେ ଯେ ଏହା ୧୫୦୦ ଖ୍ରୀ.ପୂ. ସମୟର ଅଟେ । ଏହି ଖୋଦିତ ଶିଳାଲେଖା ର ଅଂଶାବଶେଷ ଓଡିଶା ରାଜ୍ୟ ସଂଗ୍ରାହାଳୟରେ , ଭୁବନେଶ୍ବରରେ ଦେଖିପାରିବେ ।

ରାମଚ଼ଣ୍ଡି ମନ୍ଦିର :

ଝାରସୁଗୁଡ଼ା ରେଳଷ୍ଟେସନ ଠାରୁ ୩୦ କି.ମି. ଦୂରରେ ଥିବା ବ୍ରଜରାଜନଗର ରାମଚ଼ଣ୍ଡୀ ମନ୍ଦିର ଅବସ୍ଥିତ । ଦେବୀ ଚ଼ଣ୍ଡୀ ଏଠାରେ ପୂଜା ପାଇଁଥାନ୍ତି । ଏହି ଚ଼ଣ୍ଡି ପୀଠ ଇବ ନଦୀକୂଳରେ ଏକ ପ୍ରାକୃତିକ ଗୁମ୍ଫା ମଧ୍ୟରେ ଅଛି । ଏହି ପୀଠକୁ ଓହ୍ଲାଇବାକୁ ଲୌହ ନିର୍ମିତ ସିଡ଼ିର ସାହାଯ଼୍ୟ ନେବାକୁ ପଡ଼େ । ଏହି ମନ୍ଦିରରୁ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଇବ ନଦୀକୂଳ ଦୃଶ୍ୟମାନ ହୋଇଥାଏ । ଏହା ଏକ ମନମୁଗ୍ଧକର ର୍ଦଶନୀୟ ସ୍ଥାନ ଏବଂ ବଣଭୋଜି ପାଇଁ ମଧ୍ୟ ଉପଯୁକ୍ତ ।

ପିକଲ ଘୁଗର :

ପିକଲ ଘୁଗର ଝାରସୁଗୁଡା ରେଳ ଷ୍ଟେସନଠାରୁ ୪୫ କି.ମି. ଦୂର ପଶ୍ଚିମକୁ ଅବସ୍ଥିତ । ଏହା ମନଲୋଭା ଏବଂ ବଣଭୋଜି ପାଇଁ ଉପଯୁକ୍ତ ସ୍ଥାନ । ଏହି ସ୍ଥାନଟି ଘଞ୍ଚ ବନାନୀ ଏବଂ ପର୍ବତରେ ପରିବୃତ ଅଟେ । ଏଠାରେ ଝରଣାର ପଣି ବର୍ଷସାରା ଝରୁଥିବାରୁ ୪୦ ଫୁଟର ଏକ ନଦୀବନ୍ଧ ଦ୍ଵାରା ପାଣିକୁ ରଖାଯାଏ । ନିକଟସ୍ଥ ଗ୍ରାମବାସୀ ମାନେ ଏହି ଜଳରେ ସେମାନଙ୍କର ଚାଷାଦି ଏବଂ ପାନୀୟ ଜଳର ଆବଶ୍ୟକତା ପୂରଣ କରିଥାନ୍ତି । ଏହା ଝାରସୁଗୁଡା ଜିଲ୍ଲାର ଲଖନପୁର ଠାରୁ ୫ କି.ମି. ଦୂର ଏବଂ ପିକୋଲ ଗ୍ରାମଠାରୁ ୧ କି.ମି. ଦୂର ଅଟେ । ବଣଭୋଜି ପାଇଁ ଏହା ଉପାଦେୟ ସ୍ଥାନ ଅଟେ ।

ଗୁଜା ପାହାଡ :

ଗୁଜା ପାହାଡଟି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ୍ ର ତିଳିଆ ଗ୍ରାମପଞ୍ଚାୟତରେ ଏବଂ ହୀରାକୁଦ ଜଳ ଭଣ୍ଡାରର ପଛରେ ଅବସ୍ଥିତ । ଏହା ପ୍ରକୃତିକ ସୌନ୍ଦର୍ଜ୍ୟରେ ଭରା , ଦିଗବଳୟ ବ୍ୟାପୀ ଦ୍ରୁଶ୍ଯ ଦର୍ଶକର ମନରେ ଅପୁରନ୍ତି ଆଗ୍ରହ , ଆନନ୍ଦ , ସ୍ପୃହା ଭରିଦିଏ । ଗ୍ରୀଷ୍ମରୁତୁ ଛଡା ଅନ୍ୟ ଦିନରେ ଏହି ପର୍ବତଟି ଜଳ ଭଣ୍ଡାରର ଜଳରେ ପରିବେଷ୍ଟିତ । ଏହି ପାହାଡରେ ଥିବା ସୁଡଙ୍ଗ ଦ୍ଵାରା ଜଣେ ପାହାଡ ତଳରୁ ଶୀର୍ଷକୁ ଯାଇ ଆସି ପାରିବେ । ଏଠାରେ ଘଞ୍ଚ ବନାନୀରେ ପରିବେଷ୍ଟିତ ଏକ ଗୁମ୍ଫା ମଧ୍ୟ ରହିଛି । ସ୍ଥାନୀୟ ଲୋକକଥା ଅନୁଯାୟୀ ଏଠାରେ ଜଣେ ମହାନ ସାଧୁ ରହୁଥିଲେ , ଠାରେ ସେ ଏଠାରେ ଏକ ଯଜ୍ଞର ଆୟୋଜନ କଲେ । ସେ ଜଳ ଛଡା ଅନ୍ୟ ସମସ୍ତ ସାମଗ୍ରୀର ବ୍ୟବସ୍ଥା କରିଥିଲେ । ଜଳ ନିମନ୍ତେ ବଟବୃକ୍ଷ ନିକଟରେ ସେ ନିଜ ହାତରେ କୂପ ଖନନ କଲେ । ଏହାପରେ ସେହି କୂପରୁ ପାଣି ବାହାରିଲା ଏବଂ ସେହି ଦିନଠାରୁ ଏହି କୂପରୁ ଝରଣା ରୂପେ ଜଳ ନିର୍ଝର ହୋଇ ଆସୁଛି । ଏହି ଝରଣାଟି ମଧ୍ୟ ଦର୍ଶକର ଆକର୍ଷଣର କେନ୍ଦ୍ର ଅଟେ । ଗୁଜା ପାହାଡର ଦକ୍ଷିଣ ପାର୍ଶ୍ଵରେ ଦେଶହର ପାହାଡ ନାମରେ ଅନ୍ୟ ଏକ ପାହାଡ ରହିଛି । ଏହା ସର୍ବଦା ହୀରାକୁଦ ଜଳଭଣ୍ଡାରର ଜଳରେ ପରିବେଷ୍ଟିତ । ଏଠାରେ ପ୍ରାୟ ଏକ ହଜାର ଗାଈ ପ୍ରାକୃତିକ ରୂପେ ବଞ୍ଚିଆସୁଛନ୍ତି । ଏମାନଙ୍କର ରକ୍ଷଣାବେକ୍ଷଣ କେହି କରନ୍ତି ନାହିଁ । ଏହି ଗାଈମାନଙ୍କର ଏହି ନିଆରା ଢଙ୍ଗ ଅନ୍ୟ ଗୃହପାଳିତ ଗାଈମାନଙ୍କଠାରୁ ଅଲଗା ଅଟେ । ଏହା ଝାରସୁଗୁଡାଠାରୁ ୬୦ କି.ମି. ଏବଂ ବେଲପାହାଡଠାରୁ ୪୦ କି.ମି.ଦୂରରେ ଅବସ୍ଥିତ ।

ଉଲାପ ଗଡ :

ଉଲାପଗଡକୁ ଝାରସୁଗୁଡାଠାରୁ ୨୫ କି.ମି. ଦୂର ବେଲପାହାଡ ଦେଇ ଯିବାକୁ ହୁଏ । ଏହି ସ୍ଥାନ ପ୍ରାଚୀନ କାରୁକାର୍ଯ୍ୟ , ଚିତ୍ର ପାଇଁ ପ୍ରସିଦ୍ଧ ଅଟେ । ଏହା ସବୁଜ ବନାନୀ ଏବଂ ଭତୁଙ୍ଗ ପାହାଡରେ ଘେରା । ଏଠାରେ ମହାନ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ରହି ଲୁକ୍କାୟିତ ଯୁଦ୍ଧ କରୁଥିଲେ । ଏହି ପାହାଡର ଶୀର୍ଷକୁ ଯିବା ନିମନ୍ତେ ଏକ ସିଢି ମଧ୍ୟ ରହିଛି , ଯାହା କାଳକ୍ରମେ କ୍ଷୟ ହୋଇ ଆସିଲାଣି । ଏଠାରେ କିଛି ସ୍ଥାନୀୟ ବାସିନ୍ଦା ମାଟିର ପାତ୍ର ଯଥା ହାଣ୍ଡି , ଆଟିକା ଆଦି ଏବଂ ଶୁଶୁଙ୍କର ଖେଳଣା ଆଦି ହାତରେ ତିଆରି କରି ବିକ୍ରିକରି ନିଜର ଜୀବିକା କରି ରହୁଛନ୍ତି । ଏଠାରେ ଲିଆଖାଇ ନାମରେ ଏକ ଗ୍ରାମ ରହିଛି । ଏହି ଗ୍ରାମରେ ଗ୍ରାମୀଣ ଲୋକେ ମହୁଲରୁ ଏକ ପାନୀୟ ପ୍ରସ୍ତୁତ ଏବଂ ବ୍ୟବହାର କରନ୍ତି ।